ଭୁବନେଶ୍ୱର,୧/୦୬: ଗାଜାରେ ଇସ୍ରାଏଲ ପୁଣି ଆକ୍ରମଣ କରିଛି । ପାଲେଷ୍ଟାଇନର ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲୀ ଟ୍ୟାଙ୍କ ଗୁଳିମାଡ଼ରେ ୨୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୦ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ଗାଜାର ରାଫା ଅଞ୍ଚଳରେ ଆମେରିକା ଦ୍ୱାରା ଅନୁଦାନପ୍ରାପ୍ତ ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲ ଟ୍ୟାଙ୍କ ମାଧ୍ୟମରେ ଏହି ଆକ୍ରମଣ କରିଥିବା ଜଣାପଡିଛି ।ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଏକ ରିଲିଫ୍ କେନ୍ଦ୍ର ନିକଟରେ ସ୍ଥାନୀୟ ସମୟ ସକାଳ ୪ଟା ୩୦ରେ ଅଲ-ଆଲମ୍ ସ୍କୋୟାର ନିକଟରେ ଖାଦ୍ୟ ଓ ଔଷଧ ସଂଗ୍ରହ କରିବାକୁ ଭିଡ଼ ଜମା ହୋଇଥିଲା । ଏହି ସମୟରେ ଇସ୍ରାଏଲ ଟ୍ୟାଙ୍କଗୁଡ଼ିକ ପହଞ୍ଚି ଗୁଳି ଚଳାଇଥିଲେ । ମୃତ ଏବଂ ଆହତମାନେ ବହୁତ ସମୟ ଧରି ତଳେ ପଡ଼ି ରହିଥିଲେ । ଇସ୍ରାଏଲ ନିୟନ୍ତ୍ରଣରେ ଥିବାରୁ ଉଦ୍ଧାରକାରୀ ଦଳ ସେହି ଅଞ୍ଚଳକୁ ପହଞ୍ଚିପାରିଲେ ନାହିଁ ।