ନୂଆଦିଲ୍ଲୀ,୦୫/୦୬: IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପୂର୍ବରୁ ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆହତ ହୋଇଛନ୍ତି ୫୦ରୁ ଅଧିକ। ଗତକାଲି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଅଞ୍ଚଳରେ ଘଟିଥିଲା ଏହି ବଡ଼ ଅଘଟଣ। ଷ୍ଟାଡ଼ିୟମ ବାହାରେ ଲକ୍ଷାଧିକ ଫ୍ୟାନ୍ ରୁଣ୍ଡ ହୋଇଥିଲେ। ଏହାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା। ଆଉ ଏହି ଲାଠିମାଡ଼ରୁ ଷ୍ଟାମ୍ପେଡ୍ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଲାଗିରହିଛି ତନାଘନା। ଅଘଟଣ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବି.ୱାଇ.ବିଜୟେନ୍ଦ୍ର ଏହି ଘଟଣା ପାଇଁ ରାଜ୍ୟର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି। ତା’ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛନ୍ତି। ଷ୍ଟାଡିୟମର କ୍ଷମତା ୩୫ ହଜାର ରହିଥିବା ବେଳେ କେଉଁ ପରିସ୍ଥିତିରେ ୨ ଲକ୍ଷ ଦର୍ଶକ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି। ସେପଟେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶଂସକଙ୍କ ପ୍ରାଣହାନୀକୁ ନେଇ ଦେଖାଦେଇଛି ତୀବ୍ର ଆଲୋଡ଼ନ। ଦଳାଚକଟା ଘଟଣାକୁ ନେଇ RCB ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।