ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର, ଆଉ ବାତିଲ ହେଉନି ବିମାନ

ନୂଆଦିଲ୍ଲୀ,୧୧/୧୨: : ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ପରିଚାଳନାରେ ବଡ଼ ଧରଣର ସୁଧାର ଆସିଛି । ଡିସେମ୍ବର ୮ ତାରିଖରୁ ନେଟୱାର୍କର ସମସ୍ତ ୧୩୮ଟି ଗନ୍ତବ୍ୟସ୍ଥଳ ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଯୋଡି ହୋଇଯାଇଛି ଏବଂ ଡିସେମ୍ବର ୯ରୁ ଇଣ୍ଡିଗୋର ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥିର ରହିଛି । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ବିଗତ ତିନି ଦିନ ମଧ୍ୟରେ ଗୋଟିଏ ବି ‘ସେମ୍-ଡେ କ୍ୟାନସଲେସନ୍’ ବା ଯାତ୍ରା ଦିନରେ ବିମାନ ବାତିଲ ହୋଇନାହିଁ । କେବଳ ପାଣିପାଗ କିମ୍ବା ବୈଷୟିକ ତ୍ରୁଟି ଭଳି ମାମୁଲି କାରଣକୁ ଛାଡିଦେଲେ, ବିମାନଗୁଡିକର ‘ଅନ୍-ଟାଇମ୍ ପରଫର୍ମାନ୍ସ’ ବା ଠିକ୍ ସମୟରେ ଉଡାଣ ଭରିବା ପ୍ରକ୍ରିୟା ପୁଣିଥରେ ସୁଧୁରି ଯାଇଛି । ତଥ୍ୟ ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନରେ ପ୍ରତିଦିନ ଉଡାଣ ସଂଖ୍ୟା ବୃଦ୍ଧି ପାଉଛି । ୮ ଡିସେମ୍ବରରେ ୧୭୦୦ରୁ ଅଧିକ ବିମାନ ଉଡାଣ ଭରିଥିବାବେଳେ ମାତ୍ର ଗୋଟିଏ ବାତିଲ ହୋଇଥିଲା । ସେହିପରି ୯ ଡିସେମ୍ବରରେ ୧୮୦୦ରୁ ଅଧିକ ବିମାନ ଚଳାଚଳ କରିଥିଲା ଏବଂ ଗୋଟିଏ ବି ବାତିଲ ହୋଇନଥିଲା । ଗୁରୁବାର ଦିନ ୧,୯୫୦ରୁ ଅଧିକ ବିମାନ ଚଳାଚଳ କରିବାର ଆଶା କରାଯାଉଛି, ଯାହା ଫଳରେ ପ୍ରାୟ ୩ ଲକ୍ଷ ଯାତ୍ରୀ ସୁରୁଖୁରୁରେ ଯାତ୍ରା କରିପାରିବେ ।