ନୂଆଦିଲ୍ଲୀ,୦୯/୦୫: ପାକିସ୍ତାନରେ ପଶି ଆତଙ୍କୀସ୍ତାନକୁ ଛାରଖାର କଲା ଭାରତ । ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ପାକ୍ ହେଲା ଆତଙ୍କିତ । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ବହୁସଂଖ୍ୟାରେ ରକେଟ୍, ଡ୍ରୋନ୍ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହାର କଡା ଜବାବ ଦେଇଛି । ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିଛି । ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା । ପଠାନକୋଟ, ଉଧମପୁର ଏବଂ ଜମ୍ମୁ ସହରରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ୩ଟି ଡ୍ରୋନ୍କୁ ଖସାଇ ଦେଇଛି । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ଡ୍ରୋନ୍କୁ ଖସାଇ ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ବାହିନୀ ପାକିସ୍ତାନ ଦ୍ବାରା ବ୍ୟବହୃତ ଆମେରିକୀୟ ଯୁଦ୍ଧବିମାନ ଏଫ୍-୧୬ ଓ ଚୀନ ନିର୍ମିତ ୨ଟି ଜେଏଫ୍-୧୭ ଯୁଦ୍ଧବିମାନକୁ ଖସାଇ ଦେଇଛି । ଦୁଇଟି ଜେଏଫ୍-୧୭ ଯୁଦ୍ଧବିମାନ ଖସାଇଥିବା ଖବରକୁ ପାକିସ୍ତାନ ସ୍ବୀକାର କରିଥିଲେ ମଧ୍ୟ ଏଫ୍-୧୬ ବିମାନ ନେଇ ନିରବ ରହିଛି । ପଞ୍ଜାବର ଗୁରୁଦାସପୁର, ରାଜସ୍ଥାନର ବାରମେର୍, ଜୈସଲମେର୍, ଜମ୍ମୁର ବେସାମରିକ ବିମାନବନ୍ଦର, ସାମ୍ବା, ଆର୍ଏସ୍ପୁରା, ଆର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୁରକ୍ଷାକର୍ମୀମାନେ ସ୍ପଷ୍ଟ କରିଛନ୍ତି । ତେବେ ଏ ସବୁକୁ ଭାରତର ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଧ୍ବଂସ କରିଦେଇଛି ।