ହୀରାକୁଦ ଜଳଭଣ୍ଡାରରୁ ନିଷ୍କାଶିତ ହେଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୦୬/୦୭: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଏହାପରେ ୧୨ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୫୪ ଫୁଟ୍‌ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୧,୩୦,୦୨୮ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୮୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର ଗତ ଗୁରୁବାର ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜର ୪୬ଟି ଗେଟ୍‌ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବାକି ଗେଟ୍‌ଗୁଡ଼ିକ ଖୋଲିଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗତବର୍ଷ ୨୮ ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୯ ଫୁଟ ରହିଥିଲା। ବନ୍ୟାଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।