ପ୍ରବଳ ବର୍ଷାରେ ଖସିଲା ମାଟି ଅତଡ଼ା, ନାରାୟଣପାଟଣା ଓ ଦମନଯୋଡ଼ି ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଭୁବନେଶ୍ୱର,୧୬/୦୮: ପ୍ରବଳ ବର୍ଷାରେ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିବାରୁ ନାରାୟଣପାଟଣା ଓ ଦମନଯୋଡ଼ି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଦାମନଯୋଡ଼ି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ବିଜାଘାଟି ଏବଂ କେରେଙ୍ଗା ପାହାଡ଼ ରାସ୍ତା ନିକଟରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଗାଡ଼ି ମଟର ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ଗତକାଲି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନାରାୟଣପାଟଣା ସମେତ ସେମିଲିଗୁଡ଼ା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଥିବା ଖବର ଆସିଛି । ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି କାଲିମେଳା ଏମଭି ୯୬ରେ ପୋଲ ଉପରେ ଚାଲୁଛି ୩ ଫୁଟର ପାଣି । ଏହି ବ୍ରିଜ୍ ବୁଡ଼ିବା ଫଳରେ କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ପୋଲର ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ ପାରି ହେବାକୁ ଡର ଲାଗୁଛି । ସବୁବେଳେ ଲଗାଣ ବର୍ଷା ହେଲେ ଏହି ପୋଲ ବନ୍ୟା ପାଣିରେ ବୁଡିଯାଏ ।