ଆଜି ଗୁରୁଦିବସ, ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ପାଇବେ ପୂଜା

ଭୁବନେଶ୍ୱର,୦୫/୦୯: ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ ।ଅନ୍ଧକାରୁ ନେଇ ଜ୍ଞାନର ପରିସୀମାରେ ଜୀବନକୁ ପରିମାର୍ଜିତ କରାଉଥିବା ବ୍ୟକ୍ତି ହେଉଛନ୍ତି ଗୁରୁ । ଜୀବନର ମାନେ ବୁଝାଇ ଜୀବନ ଜିଇଁବାର କଳା ଶିଖାନ୍ତି ଗୁରୁ ।

ଆଜି ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳିତ ହୋଇଆସୁଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।