ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬/୦୧: ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ । ଏଥିପାଇଁ ଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତି ବର୍ଷ ଭଳି ଏଥର ମଧ୍ୟ ମୁଖ୍ୟ ଆକର୍ଷଣ ରହିବ ପରେଡ୍‌ ସୋ । ପରେଡରେ ଅଂଶଗ୍ରହଣ କରି କଳାକାର ମାନେ ମଧ୍ୟ ନିଜ ନିଜର କଳା ପ୍ରଦର୍ଶନ କରିବେ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ନିରୀକ୍ଷଣକୁ ସୁଦୃଢ଼ କରିବା ପାଇଁ ଏଆଇ ବେସଡ୍‌ ସ୍ମାର୍ଟ ଚଷମା ଏବଂ ସିସି ଟିଭି କ୍ୟାମେରା ଭଳି ଉନ୍ନତ ବ୍ୟବସ୍ଥା ବ୍ୟବହାର କରାଯାଉଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ହଜାର ହଜାର ସୁରକ୍ଷା ବାହିନୀ।

ରାଜ୍ୟରେ ମଧ୍ୟ ଧୁମ୍‌ଧାମରେ ପାଳନ ହେବ ସାଧାରଣତନ୍ତ୍ର ସମାରୋହ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ସେପଟେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ । ସେହିପରି ଅନ୍ୟ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସରେ ସୁରକ୍ଷା ଦୃଷ୍ଟିରୁ ଟ୍ୱିନ୍‌ସିଟି ସମେତ ବିଭିନ୍ନ ଜିଲ୍ଳା ମାନଙ୍କରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ଲୋକସେବା ଭବନ, ବିଧାନସଭା, କମିଶନରେଟ ପୁଲିସ୍ କାର୍ଯ୍ୟାଳୟ ଏବଂ ରେଳ ସଦନ ଭଳି ପ୍ରମୁଖ ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ତ୍ରିରଙ୍ଗାର ତିନି ରଙ୍ଗରେ ସୁସଜ୍ଜିତ କରାଯାଇଛି ।