ଭୁବନେଶ୍ୱର,୦୪/୦୯: ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଓଡ଼ିଶାକୁ ମିଳିବ ବଡ଼ ଲାଭ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ଉପରେ ଜଏସଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ । ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାର ଜିଏସଟି ସ୍ଲାବରେ ପରିବର୍ତ୍ତନ କରିଥିବାରୁ ରାଜ୍ୟର ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଏସ୍ଟିକୁ ୨ଟି ସ୍ଲାବ୍କୁ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକ ଏହାଦ୍ବାରା ଲାଭବାନ ହେବେ ସତ କିନ୍ତୁ ଅନେକ ରାଜ୍ୟକୁ ସହିବାକୁ ପଡିବ କ୍ଷତି। ଯେଉଁ ତାଲିକାରେ ଓଡ଼ିଶା ମଧ୍ୟ ରହିଛି । ଜିଏସ୍ଟି ସ୍ଲାବ ହ୍ରାସ ପାଇବା ପରେ ରାଜ୍ୟ ଗୁଡିକରେ ଜିଏସ୍ଟି ସଂଗ୍ରହ ୨୦ ପ୍ରତିଶତ କମିବ ।ଏହାଦ୍ବାରା ଓଡ଼ିଶା ମାସକୁ ୧୦୦୦ କୋଟି ଟଙ୍କା ହରାଇପାରେ ।ଦେଶରେ ଜିଏସଟି ଲାଗୁ ହେବା ପରେ ରାଜ୍ୟ ଗୁଡ଼ିକୁ ୫ ବର୍ଷ ଯାଏଁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଥିଲା । ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ପ୍ରାୟ ୧୬,୧୬୫ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦରେ ସରକାର ୩୦୦୦ କୋଟି ଟଙ୍କା ପାଇବା ଆଶା ଥିଲା ।