ଭୁବନେଶ୍ୱର,୨୨/୧୦: ସାରା ବିଶ୍ୱର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଟେକ୍ ଜାଏଣ୍ଟ୍ ଗୁଗୁଲ୍ ଏକ ବଡ଼ ଘୋଷଣା କରିଛି । କମ୍ପାନି ପକ୍ଷରୁ କଲେଜ ପିଲାଙ୍କ ପାଇଁ ଜେମିନି ଆପ୍ ପ୍ରୋର ଏକ ବର୍ଷର ମାଗଣା ସବ୍ସ୍କ୍ରିପ୍ସନ୍ ଘୋଷଣା କରାଯାଇଛି । ଏହି ଅଫର ଜରିଆରେ ଛାତ୍ରଛାତ୍ରୀ ବିନା କୌଣସି ଅତିରିକ୍ତ ମୂଲ୍ୟ ଦେଇ ଉନ୍ନତ AI ଟୁଲ୍ସ ବ୍ୟବହାର କରିପାରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା ୫୬ ଟି ଦେଶରେ ଉପଲବ୍ଧ କରାଯାଇଛି , ଯେଉଁଥିରେ ଭାରତର ନାଁ ନାହିଁ । ଗୁଗୁଲର ଉପାଧ୍ୟକ୍ଷ ଜୋଶ ଉଡୱାର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଅଫର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର କଲେଜ ଛାତ୍ରଛାତ୍ରୀମାନେ ଏହି ଅଫରର ଲାଭ ଉଠାଇପାରିବେ । କମ୍ପାନିର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ଏବଂ ଗବେଷଣା ପାଇଁ ଉନ୍ନତ ଡିଜିଟାଲ୍ ଉପକରଣ ପ୍ରଦାନ କରିବା ଯାହାଦ୍ୱାରା ସେମାନଙ୍କର ପାଠପଢ଼ା ଆହୁରି ସହଜ ହେବ ।