ନୂଆଦିଲ୍ଲୀ,୩୧/୦୫: ୪ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ବିକାଶ ହାର । ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଭାରତର ବର୍ଷତମାମର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଥିଲା । ବିଶ୍ବସ୍ତରରେ ଅସ୍ଥିରତା ଓ ଘରୋଇ ନିବେଶ ନିରୁତ୍ସାହଜନ ରହିବା ସତ୍ତ୍ବେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛି । ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ, କୃଷି ଅଭିବୃଦ୍ଧି ୪.୬ ପ୍ରତିଶତ ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ମାତ୍ର ୨.୭ ପ୍ରତିଶତ ଥିଲା । ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୯.୪ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବବର୍ଷ ତାହା ୧୦.୪ ପ୍ରତିଶତ ଥିଲା । ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧିରେ ସର୍ବାଧିକ ହ୍ରାସ ଘଟିଛି । ପୂର୍ବବର୍ଷ ତାହା ୧୨.୩ ପ୍ରତିଶତ ହାରରେ ଆଗକୁ ବଢ଼ିଥିବା ବେଳେ ୨୦୨୪-୨୫ରେ ଏହି ହାର ମାତ୍ର ୪.୫ ପ୍ରତିଶତ ରହିଛି । ସାଧାରଣ ପ୍ରଶାସନ କ୍ଷେତ୍ରର ଅଭିବୃଦ୍ଧି ୮.୯ ପ୍ରତିଶତ, ଆର୍ଥିକ ସେବା ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରର ୭.୨ ପ୍ରତିଶତ, ବାଣିଜ୍ୟ ଓ ହୋଟେଲ୍ ୬.୧ ପ୍ରତିଶତ, ବିଦ୍ୟୁତ୍ ୫.୯ ପ୍ରତିଶତ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ୨.୭ ପ୍ରତିଶତ ରହିଛି ।