ବିରାଜିବେ ବିଘ୍ନରାଜ, ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ

ଭୁବନେଶ୍ୱର,୨୭/୦୮:  ଆଜି ବିରାଜିବେ ବିଘ୍ନରାଜ । ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆସିଛି ପାର୍ବଣ । ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଛି । ସକାଳୁ ସକାଳୁ ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ସହର ବଜାର ସବୁ କିଛି ଚଳଚଞ୍ଚଳ ହୋଇଛି । ଗାଁଠୁ ସହର ସବୁଆଡ଼େ ଉତ୍ସବମୁଖର ପରିବେଶ । ପୂଜା କମିଟି ଗୁଡ଼ିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି । ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲା ଜଟଣି । ଜଟଣିରେ ବେଶ୍ ଜାକଜକମର ସହିତ ହୋଇଥାଏ ଗଣେଶ ପୂଜା । ଏଥର ବି ଜଟଣିର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମୂର୍ତ୍ତି କରାଯାଇଛି ।

ଅନ୍ୟପଟେ ପୂଜାପାଇଁ କମିସନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଗଣେଷ ପୁଜାରେ ରାଜଧାନୀରେ ବାଜିବନି ଡିଜେ । ରାସ୍ତା ଉପରେ ଲାଗି ପାରିବନି ବଡ ବଡ ତୋରଣ । କମ୍ ସାଉଣ୍ଡରେ ବାଜିପାରିବ ଭକ୍ତି ସଂଗୀତ । ରାତି ୧୦ ପରେ ମେଲୋଡିକୁ ମଧ୍ୟ ମନା ହୋଇଛି । ସେହିପରି ଭଷାଣ ଉତ୍ସବ ବେଳେ ଫୁଟିବନି ଆତସବାଜି । ପ୍ରତି ମଣ୍ଡପରେ ସିସିଟିଭି ବାଧ୍ୟତାମୂଳକ ରହିଛି । ପୂଜା ସମୟରେ ଦାଦାବଟି ଆଦାୟ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିଶାମୁକ୍ତ ପୁଜା ପେଣ୍ଡାଲ ପାଇଁ ପୋଲିସ ଗୁରୁତ୍ୱ ଦେଇଛି । ରାଜଧାନୀରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।