FM ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ

ଭୁବନେଶ୍ୱର,୧୩/୦୭: ବାଲେଶ୍ବର FM ମହାବିଦ୍ୟାଳୟରେ ଲୋମଟାଙ୍କୁରା ଘଟଣା । ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏନେଇ ଏମ୍‌ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି । ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି । ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ । ଚେତା ଫେରିବା ପରେ ଯାହା କିଛି କହିହେବ । ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର । ‌‌ସେ ଏଫ୍‌ଏମ୍‌ କଲେଜରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ । ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ । ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ ।