ଭୁବନେଶ୍ୱର,୧୪/୦୭: ବାଲେଶ୍ବର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞ ମତାମତ ନିଆଯାଇଥିଲା । ପୀଡ଼ିତାଙ୍କ ସୁଗାର ଲେବଲ୍ ଉପରେ ଦୃଷ୍ଟି ରଖାଯାଇଛି । ହେମୋଡାଇନାମିକ ମନିଟରିଂ କରାଯାଉଛି । ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ କମିଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିବାବେଳେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି ।
ସେପଟେ ଏଫଏମ୍ କଲେଜରେ ତଦନ୍ତ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଓ ଅତିରିକ୍ତ ଡିଏସପି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି । ଫକୀରମୋହନ ମହାବିଦ୍ୟାଳୟର ଏହି ସମ୍ୱେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏପଟେ, ପୀଡ଼ିତା ଆତ୍ମାହୂତି ଉଦ୍ୟମ କରି ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଗାଁରେ ପରିବାର ଓ ପଡ଼ୋଶୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଘଟଣା ଦିନଠାରୁ ଘରେ ଚୁଲି ଲାଗିନଥିବା ବେଳେ କାହା ପେଟକୁ ଗଣ୍ଡେ ଦାନା ବି ଯାଇନାହିଁ । ଝିଅର ଅବସ୍ଥା କେମିତି ଅଛି ଓ ଝିଅ କେତେ ସୁସ୍ଥ ଅଛି ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସମ୍ପର୍କୀୟ । ଏହି ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଓ ସମ୍ପର୍କୀୟମାନେ ଦାବି କରିଛନ୍ତି ।