ଫାସ୍ ଟ୍ୟାଗକୁ ନେଇ ନୀତିନ ଗଡକରୀଙ୍କ ବଡ଼ ଘୋଷଣା, କହିଲେ ଜାରି କରାଯିବ ବାର୍ଷିକ ପାସ୍

ନୂଆଦିଲ୍ଳୀ,୧୮/୦୬: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଫାସ୍ ଟ୍ୟାଗକୁ ନେଇ ବାର୍ଷିକ ପାସ୍ ଜାରି କରାଯିବ ବୋଲି ଘୋଷଣା କରିଛନ୍ତି ।ଏହି ବାର୍ଷିକ ପାସ୍ ପାଇଁ, ବ୍ୟବହାରକାରୀଙ୍କୁ ବର୍ଷକୁ କେବଳ ଥରେ ୩,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ପରେ ଏହି ପାସ୍ ବ୍ୟବହାରକାରୀଙ୍କୁ ପ୍ରଦାନ କରାଯିବ । ସରକାର କହିଛନ୍ତି ଯେ, ଏହା ସକ୍ରିୟ ହେବା ପରେ, ଏହି ପାସ୍ ୧ ବର୍ଷ କିମ୍ବା ୨୦୦ ଥର ଯାତ୍ରା କରିବା ପାଇଁ ଭାଲିଡିଟି ଦେବ । ଅର୍ଥାତ୍, ଯଦି ସମୟ ପୂର୍ବରୁ ୨୦୦ ଥର ଯାତ୍ରା ସମାପ୍ତ ହୁଏ, ତେବେ ବ୍ୟବହାରକାରୀଙ୍କୁ ପୁଣି ଥରେ ପାସ୍ ନବୀକରଣ କରିବାକୁ ପଡିବ । ନୀତିନ ଗଡକରୀ ତାଙ୍କ ପୋଷ୍ଟରେ କହିଛନ୍ତି, ଏକ ଐତିହାସିକ ପଦକ୍ଷେପ ଭାବରେ, ୧୫ ଅଗଷ୍ଟ, ୨୦୨୫ରୁ ୩,୦୦୦ ଟଙ୍କା ମୂଲ୍ୟର ଏକ ଫାସ୍ ଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ରହିବ। ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ କାର, ଜିପ୍, ଭ୍ୟାନ ଇତ୍ୟାଦି ପାଇଁ ଉପଲବ୍ଧ ହେବ । ଏହା ସାରା ଦେଶରେ ଜାତୀୟ ରାଜପଥରେ ଯାନବାହନ ପାଇଁ ଲାଗୁ ହେବ । ଏଥିରେ ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ନୁହେଁ ।

Leave a Reply

Your email address will not be published. Required fields are marked *