ବାଂଲାଦେଶରେ ନିର୍ବାଚନ, କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି

ନୂଆଦିଲ୍ଲୀ,୧୨/୦୨: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ହୋଇଥିବା ବଡ଼ଧରଣ ବିରୋଧ ପ୍ରଦର୍ଶନ ଓ ଶେଖ୍‌ ହସିନାଙ୍କୁ କ୍ଷମତାରୁ ବିତାଡ଼ିତ କରାଯିବା ପରେ ଦେଶରେ ପ୍ରଥମ ଥର ନିର୍ବାଚନ ଅନୁ‌ଷ୍ଠିତ ହେଉଛି। ଏହି ନିର୍ବାଚନ କେବଳ ଢାକା ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ବାଂଲାଦେଶରେ ଗତ ୧୮ ମାସ ହେଲା ହିଂସା ଓ ଅଶାନ୍ତି ଲାଗି ରହିଛି। ଶେଖ ହସିନାଙ୍କ ଶାସନର ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ୟୁନୁସଙ୍କ କାର୍ଯ୍ୟକାଳରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ପ୍ରାୟ ନିତିଦିନିଆ ଘଟଣା ହୋଇଯାଇଛି। ଏହି ନିର୍ବାଚନ ପରେ ନିର୍ବାଚିତ ସରକାର ଓ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଗୁରୁବାର ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ସାଢେ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ତାରିକ୍‌ ରହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଓ ଏହାର ଏକଦା ସହଯୋଗୀ ଦଳ ଥିବା ଜମାତ୍‌ -ଇ-ଇସଲାମି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା ହେଉଛି। ଭୋଟ ଦେବାକୁ ବହୁ ସଂଖ୍ୟାରେ ଲୋକମାନେ ମତଦାନ କେନ୍ଦ୍ରରେ ଆସୁଛନ୍ତି। ୨୦୦୯ ପରେ ଏହାକୁ ଦେଶର ପ୍ରଥମ ପ୍ରକୃତ ନିର୍ବାଚନୀ ଲଢ଼େଇ ଭାବେ ଗ୍ରହଣ କରାଯାଇଛି। ବାଂଲାଦେଶର ୧୭ କୋଟି ଜନସାଧାରଣଙ୍କ ମଧ୍ୟରେ ୧୨ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ ‌ହୋଇଛନ୍ତି। ବାଂଲାଦେଶ ନିର୍ବାଚନକୁ ‘ଜେନ୍‌ ଜି’ ନିର୍ବାଚନ ମଧ୍ୟ କୁହାଯାଉଛି।

Leave a Reply

Your email address will not be published. Required fields are marked *