ନୂଆଦିଲ୍ଲୀ,୦୫/୦୧: ଆଜି ସକାଳେ ଆସାମର ମୋରିଗାଓଁ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ସକାଳ ପ୍ରାୟ ସମୟରେ ହଠାତ୍ ଥରି ଉଠିଥିଲା ପୂରା ଅଞ୍ଚଳ, ଯାହାଫଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ସକାଳର ଶାନ୍ତ ପରିବେଶ ମଧ୍ୟରେ ଯେତେବେଳେ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରୁଥିଲେ କିମ୍ବା କିଛି ଲୋକ ଶୋଇଥିଲେ, ସେହି ସମୟରେ ହଠାତ୍ ଭୂମି କମ୍ପିବାକୁ ଲାଗିଥିଲା । ମୋରିଗାଓଁ ବ୍ୟତୀତ ଏହାର ଆଖପାଖ ଜିଲ୍ଲା ଯଥା ନାଗାଓଁ, ଗୁଆହାଟୀ ଏବଂ ବ୍ରହ୍ମପୁତ୍ର ଉପତ୍ୟକାର ଅନେକ ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଛି । ଲୋକମାନେ ଭୟରେ ନିଜ ନିଜ ଘରୁ ବାହାରକୁ ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ। ବହୁତଳ ପ୍ରାସାଦ ଏବଂ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରେ ଅଧିକ ଭୟ ଦେଖିବାକୁ ମିଳିଥିଲା ।