୧୦ ପ୍ରମୁଖ ଇରାନୀ ନେତାଙ୍କ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର : ଟ୍ରମ୍ପ

ନୂଆଦିଲ୍ଲୀ,୧୪/୦୩: ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଏବଂ ଆଇଆର୍‌ଜିସିର ବରିଷ୍ଠ ଅଧିକାରୀଙ୍କ ଉପରେ ଆମେରିକା ଏକ ବଡ଼ ପୁରସ୍କାର ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ମୋଜତାବା ଖେମିନି ଜୀବିତ କିନ୍ତୁ ସମ୍ପ୍ରତି ଆକ୍ରମଣରେ ଆହତ ହୋଇଛନ୍ତି। ମୋଜତାବାଙ୍କ ସମେତ ଦଶ ଜଣ ପ୍ରମୁଖ ନେତାଙ୍କୁ ଟାର୍ଗେଟ କରାଯାଇଛି। ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆଇଆର୍‌ଜିସିର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆମେରିକା କହିଛି। ୧୦ ପ୍ରମୁଖ ଇରାନୀ ନେତାଙ୍କ ବିଷୟରେ ବିଶ୍ୱସନୀୟ ସୂଚନା ପ୍ରଦାନକାରୀଙ୍କ ପାଇଁ ଆମେରିକାର ବୈଦେଶିକ ବିଭାଗ ପୁରସ୍କାର ଘୋଷଣା କରିଛି। ଏହି ପୁରସ୍କାର ୧୦ ନିୟୁତ ଡଲାର ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଇଛି। ଆବଶ୍ୟକ ହେଲେ ସୂଚନା ପ୍ରଦାନକାରୀଙ୍କୁ ଅନ୍ୟ ଦେଶକୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ମଧ୍ୟ ଆମେରିକା ପ୍ରତିଶ୍ରୁତି ଦେଇଛି। ସେହିପରି ମୋଜତାବାଙ୍କ ଅବସ୍ଥିତି ପ୍ରକାଶ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମୋଟା ଅଙ୍କର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏପରି କରି ଆମେରିକା ସରକାର ମୋଜତାବାଙ୍କୁ ଧରିବା ପାଇଁ ଥୋପ ପକାଇଥିବା କୁହାଯାଉଛି।ଡୋନାଲ୍ଡ ଟ୍ରମ୍ପ ଏବେ ଏହି ଯୁଦ୍ଧକୁ ଶୀଘ୍ର ଶେଷ କରିବା ମନୋଭାବରେ ଥିବା ଦେଖାଯାଉଛି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ବଡ଼ ଆକ୍ରମଣ କରାଯାଉଛି, ତେଲ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଶୀର୍ଷ ଇରାନ ନେତାଙ୍କ ପର୍ଯ୍ୟନ୍ତ ସବୁକିଛି ଟାର୍ଗେଟରେ ରହିଛି।

Leave a Reply

Your email address will not be published. Required fields are marked *