ନୂଆଦିଲ୍ଲୀ,୨୯/୧୧: ଭୟଙ୍କର ରୂପ ନେଇ ଭାରତ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ସାମୁଦ୍ରିକ ବାତ୍ୟା ‘ଦିତ୍ୱାହ’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ତାମିଲନାଡୁ ମୁହାଁ ହୋଇଛି । ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଉ ଏନେଇ ରେଡ୍ ଆଲର୍ଟ ଜାରି କରି ସତର୍କ ରହିଛନ୍ତି ତାମିଲନାଡୁ ସରକାର ।ଗତକାଲି ସକାଳୁ ସକାଳୁ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍ କରି ବାତ୍ୟା ‘ଦିତ୍ୱାହ’ ଲଙ୍କାକୁ ଦେଖାଇଥିଲା ତାର ଦାନବ ରୂପ । ବାତ୍ୟା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବାରୁ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୨୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏପଟେ ଆଜି ସକାଳୁ ସକାଳୁ ତାମିଲନାଡ଼ୁର ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଏବଂ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।