ଭୁବନେଶ୍ୱର,୦୫/୧୧: ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ତଥା ନିର୍ଦ୍ଦେଶକ ଦେବୀ ରଥ । ତାରପୁର ଅପେରା ସହ ଇଷ୍ଟର୍ଣ୍ଣ ରେଡ୍-ବ୍ଲୁ ଭଳି କେତେକ ଯାତ୍ରା ପାର୍ଟିରେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ। ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସେ ସକ୍ରିୟ ଥିଲେ । କୁହାଯାଉଛି ଯେ, ଅତ୍ୟଧିକ ଡିଜେ ସାଉଣ୍ଡ ଯୋଗୁଁ ତାଙ୍କର ହୃଦଘାତ ହୋଇଥିଲା । ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ସେ କୃଷ୍ଣଚନ୍ଦ୍ର ରଥଙ୍କ ‘ତ୍ରିନାଥ ମେଳା’ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦେବୀ ରଥ କେବଳ ଜଣେ ଅଭିନେତା ନଥିଲେ ବରଂ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ରହିଛି । ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଯାତ୍ରା ପେଣ୍ଡାଲକୁ ଟାଣିନେଉଥିଲା । ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା ।