ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ତରରେ, ଅଳିଆ ଆବର୍ଜନା ପୋଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୦/୧୨: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ତରରେ ପହଞ୍ଚିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜାଳିବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି । ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପୋଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଏବଂ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD) ପକ୍ଷରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ, ସମସ୍ତେ ମିଳିମିଶି ଏହି ନିୟମ ପାଳନ କରନ୍ତୁ ଏବଂ ପ୍ରଦୂଷଣ ହ୍ରାସ କରିବାରେ ପ୍ରଶାସନକୁ ସାହାଯ୍ୟ କରନ୍ତୁ ।କେବଳ ଆବର୍ଜନା ନୁହେଁ, ବାୟୁ ଗୁଣବତ୍ତା ସୁଧାରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦିଲ୍ଲୀର ସମସ୍ତ ହୋଟେଲ, ଢାବା ଏବଂ ଖୋଲା ଖାଦ୍ୟ ଷ୍ଟଲ୍‌ରେ ତନ୍ଦୁର ପାଇଁ କୋଇଲା କିମ୍ବା କାଠ ଜାଳିବାକୁ ବାରଣ କରାଯାଇଛି ।