ନୂଆଦିଲ୍ଲୀ,୧/୧୧: ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଯାନ ମନା। ତେବେ ଏଠାରେ ପ୍ରଦୂଷଣ କମାଇବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ବିଏସ-ଆଇଭି ମାନଦଣ୍ଡ ପୂରଣ କରୁନଥିବା ବାଣିଜ୍ୟିକ ସାମଗ୍ରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବା ନିଷେଧ କରାଯାଇଛି। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ପରିବହନ ବିଭାଗ, ଟ୍ରାଫିକ୍ ପୁଲିସ ସହ ମିଶି ୨୩ଟି ଦଳ ଗଠନ କରିଛି। କୁଣ୍ଡଲି ସୀମା, ରାଜୋକ୍ରି ସୀମା, ଟିକ୍ରି ସୀମା, ଆୟା ନଗର ସୀମା, କାଳିନ୍ଦୀ କୁଞ୍ଜ ସୀମା, ମାଣ୍ଡୋଲି ପରି ଜାଗାରେ ରହି ଏହି ଟିମ୍ ଗାଡ଼ି ଗୁଡ଼ିକର ଯାଞ୍ଚ କରିବେ।ଏହି ଦଳଗୁଡ଼ିକ ଜଣେ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯିବ। ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ୫୦,୦୦୦ ରୁ ୭୦,୦୦୦ ଯାନ ବିଏସ୍-ଆଇଭି ମାନଦଣ୍ଡ ତଳେ ଅଛି। ଦିଲ୍ଲୀରେ ପଞ୍ଜିକୃତ ବାଣିଜ୍ୟିକ ସାମଗ୍ରୀ ଯାନ, ବିଏସ୍-ଭିଆଇ ଅନୁପାଳନକାରୀ ଡିଜେଲ ଯାନ କିମ୍ବା ବିଦ୍ୟୁତ୍ ବ୍ୟବହାର କରୁଥିବା ଯାନଗୁଡ଼ିକର ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସୂଚନା ଅନୁଯାୟୀ ଦିଲ୍ଲୀ-ଏନ୍ସିଆର୍ରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି। ଏଠାରେ ୭୫% ପରିବାର ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ କରିଛନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି।