ଭୁବନେଶ୍ୱର,୧୫/୦୩: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ।ଏହାରି ଭିତରେ କଂଗ୍ରେସ ଭିତରେ କନ୍ଦଳ ଦେଖିବାକୁ ମିଳିଛି । ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୋଟିଂ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କିଛି ବିଧାୟକ ଏହି ନିର୍ଦ୍ଦେଶକୁ ଅବମାନନା କରିଥିବା ଦେଖିବାକୁ ମିଳିଛି । ହେଲେ ଦାଶରଥୀ ଗମାଙ୍ଗ ଏହି ଆଦେଶକୁ ଅବମାନନା କରିଥିବାରୁ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସରେ କୁହାଯାଇଛି କି, ଦଳର ରାଜ୍ୟସଭାପତି, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଦାଶରଥୀ ଗମାଙ୍ଗଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଅଭିଯୋଗ ହେଉଛି । ଏହାସହ ବିଧାୟକ କ୍ୱାଟର ଓ ନିଜ ଗାଁ ଘରକୁ ଯାଇ ଖୋଜାଯାଇଥିଲେ ବି ଦାଶରଥୀଙ୍କର କୌଣସି ସନ୍ଧାନ ମିଳୁନଥିବା ଦଳ କହିଛି । ଦଳ କହିଛି କି, ଯଦି ଆପଣଙ୍କୁ ଆପଣଙ୍କ ଇଚ୍ଛା ବିରୋଧରେ ଅପହରଣ କରାଯାଇଛି ସେ ନେଇ ନିକଟତମ ମହଲରୁ ସୂଚନା କିଛି ଅଭିଯୋଗ ମଧ୍ୟ ହୋଇନାହିଁ । ତେଣୁ ଆପଣ ସ୍ୱଇଚ୍ଛାରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହେଉଛି । ଏଣୁକରି ଆଜି ସନ୍ଧ୍ୟା ସୁଦ୍ଧା ଆପଣ ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜର ନହେଲେ ଆପଣଙ୍କ ବିରୋଧରେ ଦଳ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ତା’ର ଉତ୍ତର ରଖିବାକୁ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ କରାଯାଇଛି ।