ଭୁବନେଶ୍ୱର,୨୫/୧୦: ପୁଣି ଘାରିଛି ବାତ୍ୟା ଭୟ । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’ । ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ, ବଂଗୋପସାଗରରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ୁଥିବା ଲଘୁଚାପ ଆସନ୍ତାକାଲି ନେବ ଅବପାତର ରୂପ । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଂଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି । ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ପର୍ଯ୍ୟନ୍ତ ବଡ଼ ବର୍ଷା ହୋଇପାରେ । ୨୬ ତାରିଖରେ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ୨୭ରେ ରାୟଗଡ଼ା, ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ । ୨୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୯ରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।