ଭୁବନେଶ୍ୱର,୨୭/୧୦: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା ୮ଟି ଜିଲ୍ଲାରେ ମୋଟ୍ ୧୨୮ଟି ଟିମ୍ ଓଡିଆରଏଫ୍, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ଆହୁରି ଟିମ୍ ଦିଆଯିବ ବୋଲି ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖରେ ୮ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡିକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହି ଜିଲ୍ଲାଗୁଡ଼ିକରେ ୨୮ ଓ ୨୯ ତାରିଖ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ।