ଭୁବନେଶ୍ୱର,୨୩/୧୧: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ । ଆଉ ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଚିନ୍ତା ବଢ଼ିଲାଣି । ୱିଣ୍ଡିର ଆକଳନ ଅନୁସାରେ ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା । ଡିସେମ୍ବର ୧ରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଲଘୁଚାପ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇପାରେ । ଏହା ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।