ଭୁବନେଶ୍ୱର,୦୫/୦୬: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନାରେ ଜଣକ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସରକାରୀ ଭାବେ ଘୋଷଣା କରାଯାଇନାହିଁ । ଏହାଛଡ଼ା କରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ସେହିପରି ଦେଶରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୩୦୨ ହୋଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ୩ ହଜାର ୨୮୧ ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଅଧିକ ଲୋକଙ୍କ ଜୀବନ ଯାଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ, ଗୁଜୁରାଟ ଓ ଦିଲ୍ଲୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।