ରୁବାୟା କୋଲଟାନ୍ ଖଣିରେ ବଡ଼ ଧରଣର ଭୂସ୍ଖଳନ, ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୧/୦୧: କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା। ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥି‌ଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହେଉଛି । ଭୂମିସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରାୟ ୨୦ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି । ଉଦ୍ଧାରକାରୀ ଦଳଙ୍କ ଅନୁସାରେ ଆବର୍ଜନା ସଫା ହେବା ସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।