ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜ ହେବ ବନ୍ଦ

ଭୁବନେଶ୍ୱର,୦୪/୦୭: ନୂଆ ଶିକ୍ଷାବର୍ଷ ଆରମ୍ଭରୁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ । ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ଏଭଳି ନିଷ୍ପତ୍ତି ହୋଇଛି । ଏହା ସହ ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡିଲେ ସମ୍ପୃକ୍ତ କଲେଜକୁ ବି ବନ୍ଦ କରିଦିଆଯିବ ବୋଲି ଉଲ୍ଲେଖ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ । ସ୍ଥାୟୀ ଅନୁମୋଦନ ପାଇଁ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ ।