ଭୁବନେଶ୍ୱର,୧୨/୦୧: ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା । ଉପକୂଳ ଓଡ଼ିଶାରେ ୩.୬ ଡିଗ୍ରି ଯାଏ ଖସିଲା ପାରଦ । ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଅଧିକ ମେଘାଚ୍ଛନ୍ନ ରହିଥିଲା । ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳ ମେଘମୁକ୍ତ ସହ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିଥିଲା । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ରାଜଧାନୀ ଭୁବନେଶ୍ଵରର ସର୍ବନିମ୍ନ ତାପମାତ୍ରା ୯.୨ରୁ ବୃଦ୍ଧି ପାଇଁ ୧୫ ଡିଗ୍ରିରେ ପହଁଚିଥିଲା । ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫, ଜି ଉଦୟଗିରିରେ ୯.୪, ଅନୁଗୁଳରେ ୧୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜିଠାରୁ ପାରଦ ପୁଣି ଖସିଥିବା ବେଳେ ଶୀତ ବଢ଼ିଛି । ସେପଟେ ଜାଡ଼ରେ ଥରୁଛି ସାରା ଉତ୍ତର ଭାରତ। ରାଜସ୍ଥାନଠୁ ନେଇ ହିମାଚଳ ଯାଏ ସବୁଠି ଶୀତ ଲହରୀ ।