ଆହୁରି ୨୪ ଘଣ୍ଟା ରାଜ୍ୟରେ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର ,୧୮/୧୧: ପ୍ରବଳ ଜାଡରେ ସାରା ଓଡ଼ିଶା ଥରୁଛି। ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟର ୪ ସହରର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ରହିଛି ୮ ଡିଗ୍ରି। ଝାରସୁଗୁଡ଼ାର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ରାଉରକେଲାରେ ୧୦ ଡିଗ୍ରି, ଅନୁଗୁଳରେ ୧୦.୨ ଡିଗ୍ରି, କୋରାପୁଟରେ ୧୦.୮ ଡିଗ୍ରି, କେନ୍ଦୁଝର ଓ ଭବାନୀପାଟଣାରେ ୧୧ ଡିଗ୍ରି, ନବରଙ୍ଗପୁରରେ ୧୧.୫ ଡିଗ୍ରି ଓ ସୁନ୍ଦରଗଡ଼ରେ ୧୧.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୧୨.୯ ଡିଗ୍ରିକୁ ଖସିଥିବା ବେଳେ କଟକର ରହିଥିଲା ୧୩.୨ ଡିଗ୍ରି। ଆହୁରି ୨୪ ଘଣ୍ଟା ରାଜ୍ୟରେ ଏହିଭଳି ଶୀତ ଲହରି ଜାରି ରହିବ ବୋଲି କୁହାଯାଇଛି। ହାତ, ମୁଣ୍ଡ ଓ ବେକ ଘୋଡ଼ାଇ ହୋଇରହିବା ସହ ଭିଟାମିନ-ସି ଯୁକ୍ତ ଫଳ ଓ ପନିପରିବା ଅଧିକ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସନ୍ଧ୍ୟା ଓ ସକାଳେ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି।