ସାରା ରାଜ୍ୟରେ ଲାଗିରହିଛି ଥଣ୍ଡାର ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର,୨୮/୧୧: ଖସୁଛି ପାରଦ, ବଢୁଛି ଶୀତ । ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ । ଦିନ ୪ଟା ପରେ ବାହାରକୁ ବାହାରିଲେ ଦେହ ହାତ ଥରିଯାଉଛି ।  ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ବିଶେଷ କରି କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଅସହ୍ୟ ହେଉଛି ଥଣ୍ଡାର ପ୍ରକୋପ ।

ସେହିପର କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତୁଳନାରେ ଆଜି ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଗତକାଲି ଠାରୁ ଆଜି ୧.୪ଡିଗ୍ରି ପାରଦ ହ୍ରାସ ପାଇ ୭.୪ ଡିଗ୍ରି ରେକର୍ଡରେ ପହଞ୍ଚିଛି । ପାରଦ ତଳମୁଁହା ହେବା ସହ ଜାଡ଼ ଆରମ୍ଭ ହୋଇଯାଇଛି ।

ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି । ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ସଞ୍ଜ ନଇଁଲେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି।

ପାରଦ ଖସିବା ସହ ଥଣ୍ଡା ପବନ ପ୍ରବାହିତ ହେବା ଯୋଗୁଁ ଥଣ୍ଡାର ପ୍ରକୋପ ଲୋକଙ୍କୁ ବାଧୁଛି । ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଥଣ୍ଡା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହେବା ପରେ ସ୍ଥାନୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।