ଚାନ୍ଦବାଲି ଘଟଣା, ମୃତକ ପୀଡିତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୪/୧୨: ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣା ବିଷୟରେ ଅବଗତ ହୋଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁର ସ୍ଥିତ ଶ୍ୱଶୂର ଘରୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।  ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ ପରେ ଧରପଗଡ଼ ଆରମ୍ଭ ହୋଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ପରେ ପୁଲିସ ଅଜଣା ସ୍ଥାନରେ ରଖିଥିବା ଜଣାପଡିଛି ।  ଗତକାଲି ସଂଧ୍ୟାରେ ଜଙ୍ଗଲରୁ ନାବାଳିକାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ଦେଖା ଦେଇଥିଲା।