ଭୁବନେଶ୍ୱର,୧୬/୦୩: କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମେଡିକାଲର ଟ୍ରମା କେୟାର ୟୁନିଟରେ ଏହି ଭୟଙ୍କର ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡ ପରେ ତୁରନ୍ତ ଟ୍ରମା କେୟାରରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଆଇସିୟୁରେ ଥିବା ଅନ୍ୟ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।