ଭୁବନେଶ୍ୱର,୨୧/୦୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି-ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼। ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି। ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି।