ଭୁବନେଶ୍ୱର,୧୩/୦୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ନବରଂଗପୁରରେ ଆୟୋଜିତ ଏକ ସମାରୋହରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅସ୍ମିତା ଓ ଅନନ୍ୟ ଐତିହ୍ୟର ସୁରକ୍ଷା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ସରକାର ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରେ ଏବଂ ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ପରମ କର୍ତ୍ତବ୍ୟ ବୋଲି ଭାବେ। ଅନେକ ସମୟରେ ଆର୍ଥିକ ଅଭାବ ବା ପାରିବାରିକ ଜଞ୍ଜାଳ ଯୋଗୁଁ ଆମର ଆର୍ଥିକ ଅନଗ୍ରସର ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଯାଆନ୍ତି । ସେମାନଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଏହି ଅଭିନବ ଯୋଜନା ଆରମ୍ଭ କରିଛୁ, ଯେଉଁଠାରେ ସରକାର ‘ଶ୍ରବଣ କୁମାର’ ସଦୃଶ ବୟୋଜ୍ୟେଷ୍ଠ ଓ ବିଧବା ମା’ମାନଙ୍କୁ ସମ୍ମାନର ସହ ଶ୍ରୀକ୍ଷେତ୍ର ନେଇ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରିବେ ।