ଭୁବନେଶ୍ୱର,୧୨/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’। ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ। ବାଲେଶ୍ଵରର ଏସ୍ପିଙ୍କୁ ଦୁର୍ଗାପୁର ପୁଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର (ପୀଡ଼ିତାଙ୍କ ବାପା) ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।