ମୋଦି ସରକାରଙ୍କ ୧୧ ବର୍ଷର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କଣ କହିଲେ..

ଭୁବନେଶ୍ୱର,୧୦/୦୬: କେନ୍ଦ୍ରରେ ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ । ନିଜ ସରକାରର ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଜୁନ୍ ୯ ତାରିଖ ୨୦୨୪ ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି । ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *