ନବୀନଙ୍କ ଆଜି ୭୯ ତମ ଜନ୍ମଦିନ, ଏକାମ୍ର ନିର୍ବାଚନମଣ୍ଡଳୀରେ ପଦଯାତ୍ରାରେ ବାହାରିଲେ

ଭୁବନେଶ୍ୱର,୧୬/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ୭୯ ତମ ଜନ୍ମଦିନ । ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ନବୀନ କିନ୍ତୁ ଜନ୍ମଦିନ ଉତ୍ସବକୁ ରାଜନୀତିର ରଙ୍ଗ ଦେଇଛନ୍ତି । ଜନ୍ମଦିନ ଅବସରରେ ସେ ପଦଯାତ୍ରା କରିଛନ୍ତି । ରାଜଧାନୀର ଏକାମ୍ର ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ପଦଯାତ୍ରା କରିଛନ୍ତି । ନବୀନ ପଟ୍ଟନାୟକ ଏହି ଜନସମ୍ପର୍କ ଯାତ୍ରା ନବୀନ ନିବାସରୁ ବାହାର କରିଛନ୍ତି । ହଜାର ହଜାର ଦଳୀୟ କର୍ମୀ, ସାଥୀ ଓ ସମର୍ଥକ ତାଙ୍କୁ ଏକାମ୍ର ନିର୍ବାଚନମଣ୍ଡଳୀରେ ସ୍ୱାଗତ କରିଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଏକ ସଭାର ଆୟୋଜନ କରିଛନ୍ତି । ଏହି ସଭାରେ ଏକାମ୍ର ନିର୍ବାଚନମଣ୍ଡଳୀର ନେତାଙ୍କ ସହ ବିଜେଡି ସମର୍ଥକମାନେ ନବୀନଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେପଟେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ନବୀନଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି । ଓଡ଼ିଶା ଶାସନର ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କୁ ଆଜି ୭୯ ବର୍ଷ ହୋଇଛି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୯୭ ରେ ପିତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିଥିଲେ ।