ନୂଆଦିଲ୍ଲୀ,୧୪/୦୮: ଆଜି ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି । ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାରେ ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାରେ ବନ୍ୟାରେ ଏକ କାର୍ ଫସି ରହିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ କାଶ୍ମୀରର ରାଜୌରୀ ଏବଂ ମେଣ୍ଢରରୁ ମଧ୍ୟ ବାଦଲ ଫାଟିବାର ସୂଚନା ମିଳିଛି । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । କ୍ଷୟକ୍ଷତିର ଆକଳନ କରାଯାଉଛି ଏବଂ ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ପରିଚାଳନାର ବ୍ୟବସ୍ଥା କରାଯାଉଛି । ବାଦଲ ଫାଟିବା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ତେବେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ଶ୍ରୀନଗର ପାଣିପାଗ କେନ୍ଦ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବାର ଆଶଙ୍କା କରିଛି । ଏହି ଘଟଣାରେ ଉପରାଜ୍ୟପାଳ ମନୋଜ ସିହ୍ନା ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି ଯେ କିସ୍ତୱାଡ଼ରେ ବାଦଲ ଫାଟିବା ଘଟଣାରେ ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ସିଭିଲ, ପୁଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଅଧିକାରୀଙ୍କୁ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।