ନୂଆଦିଲ୍ଲୀ,୦୫/୦୮: ଆଜି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମରେ ବାଦଲ ଫଟା ବର୍ଷା ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାମରେ ବ୍ୟାପକ କ୍ଷତି ଘଟାଇଛି । ଯେଉଁଥିରେ ଅନେକ ଘର, ଦୋକାନ ଏବଂ ହୋଟେଲ ଭାସିଯାଇଛି ।ଏହି ଦୁର୍ଘଟଣାରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ୧୨ ରୁ ଅଧିକ ଲୋକ ନିଖୋଜ ଥିବାର କୁହାଯାଉଛି । ଏହି ଘଟଣା ଧରାଲି ଗ୍ରାମ ନିକଟରେ ଭାଗୀରଥୀ ନଦୀ ଅଞ୍ଚଳରେ ଘଟିଛି । ଯେଉଁଠାରେ ବାଦଲ ଫାଟିବା କାରଣରୁ ହଠାତ୍ ବନ୍ୟା ଏବଂ ମାଟି ଅତଡ଼ା ଧସିଯାଇଥିଲା ।ଏହି ବନ୍ୟା ଗାଁର ବଜାରକୁ ମାଟି ଅତଡ଼ାରେ ପରିଣତ କରିଛି । ଅନେକ କୋଠା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୧୦ ରୁ ୧୨ ଜଣ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥାଇ ପାରନ୍ତି ଏବଂ ୨୦ ରୁ ୨୫ ଟି ହୋଟେଲ୍ ଏବଂ ହୋମଷ୍ଟେ ଭାସିଯାଇଛି ।ଦୁର୍ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଉତ୍ତରାଖଣ୍ଡ ପୁଲିସ, ଏସଡିଆରଏଫ୍, ଏନଡିଆରଏଫ୍ ଏବଂ ଭାରତୀୟ ସେନାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି ।