ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର, ୧୫/୦୩: ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଏ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଏବଂ ପୌରପାଳିକା କମିସନରଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ। ଟିମ୍‌ରେ ପୋଲିସ ଅଧୀକ୍ଷକ, ପୌର କମିସନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ। ଟାସ୍କଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ।

Leave a Reply

Your email address will not be published. Required fields are marked *