ନୂଆଦିଲ୍ଲୀ, ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଇଡି ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ତାଙ୍କ ବାସଭବନରେ ଆଜି ସକାଳୁ ସକାଳୁ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା। ମଦ ଦୁର୍ନୀତି ମାମଲାରେ ସେ ଜଡିତ ଥିବାର ଇଡି ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଛତିଶଗଡ଼ରେ ରାଜନୈତିକ କ୍ଷେତ୍ରରେ ସରଗରମ ହୋଇଛି । ଚୈତନ୍ୟଙ୍କୁ ତାଙ୍କ ଜନ୍ମଦିନରେ ଗିରଫ କରାଯାଇଛି । ଇଡି ଅଧିକାରୀମାନେ CRPFଙ୍କୁ ସାଙ୍ଗରେ ନେଇ ଭିଲାଇ ସ୍ଥିତ ଭୂପେଶ ବଘେଲଙ୍କ ବାସଭବନରେ ଚଢ଼ାଉ କରିଥିଲେ। ଇଡ଼ିର ଚଢ଼ାଉ ସମୟରେ ଚୈତନ୍ୟ ତଦନ୍ତରେ ସହଯୋଗ କରୁନଥିଲେ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।ଛତିଶଗଡ଼ରେ ଏହି ମଦ ଦୁର୍ନୀତି ୨୦୧୯ ରୁ ୨୦୨୨ ମଧ୍ୟରେ ହୋଇଥିଲା । ସେହି ସମୟରେ ତାଙ୍କ ବାପା ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର କ୍ଷମତାରେ ଥିଲା।