ନୂଆଦିଲ୍ଲୀ, ୧୫/୧୧: ଜମ୍ମୁ ଶ୍ରୀନଗର ନୌଗାମ୍ ପୋଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ ଷ୍ଟେସନ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା, ଅନେକ ଯାନବାହନ ନିଆଁରେ ପୋଡ଼ି ଯାଇଥିଲା । ଏପରିକି ମଣିଷ ଶରୀରର ବିଭିନ୍ନ ଅଙ୍ଗ କିଛି ଦୂରଯାଏ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ସୂଚିତ କରୁଛନ୍ତି ଯେ ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ନିଆଁ ଏବଂ ଧୂଆଁର ବଳୟ ଆକାଶକୁ ଉଠିଥିଲା । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।