ଭୁବନେଶ୍ୱର,୨୦/୦୮: ଆରପାରିରେ ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ । ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି। ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ବଲାଂଗୀରର ଟିକ୍ରାପଡ଼ାରେ ଜନ୍ମିତ ବିନୋଦ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍ରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ। ସମର୍ପଣ, ଆଦିବାସୀ, ପରସ୍ତ୍ରୀ( ଅଣ ମୁକ୍ତିପ୍ରାପ୍ତ), ଚିନି ଆଦି ଓଡ଼ିଆ ଚଳଚ୍ଚିତ୍ର ପାଇଁ ବିନୋଦ ପଶାୟତ ଗୀତ ଲେଖିଛନ୍ତି। ସେ ‘ ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ, ମା’ ଠାନୁ ବଡ଼୍ କିଏ ଅଛେ, ଏ ନନୀ ସୁଲୋଚନା, ଲବଂଗଲତା ମୋର ଗଜମୁକୁତା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି।