ଭୁବନେଶ୍ୱର,୩/୧୨: ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି । କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ । ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୫ ଆଣିଛନ୍ତି । ଏହି ବିଲ୍ରେ ୯ଟି ବିଭାଗର ୧୬ଟି ଆଇନର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି । ଏଥିରେ ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।ବିଧାନସଭାରେ ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୫କୁ ପାରିତ କରିବା ପାଇଁ ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ହୋଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଥିଲେ ।