ଭୁବନେଶ୍ୱର,୧୬/୦୧: ପୁଅ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ମୁହଁ ଖୋଲିଲେ ବାପା ବିଜୟ ମହାପାତ୍ର । କହିଲେ, ଯେଭଳି ଭାବେ ଏହି ଘଟଣା ଘଟିଲା, ମୁଁ ଚକିତ । ନିଲମ୍ବନର କାରଣ କଣ ଥିଲା କେମିତି ଜାଣିବୁ । ନିଲମ୍ବ ପଛରେ କିଛି ଅଦୃଶ୍ୟ ଶକ୍ତି ଥାଇପାରେ । ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ପ୍ରମାଣିତ କରିବା ଦରକାର । ଅରବିନ୍ଦ ନିଶ୍ଚିତ ନିଲମ୍ବର କାରଣ ଜାଣିବାକୁ ଚାହିଁବ । ଗତକାଲି ୧୫ ମିନିଟ୍ ଧରି କଥା ହୋଇଥିଲି । ସିଏ ନିଲମ୍ବନର କାରଣ ପାଇଁ ଚିଠି ଲେଖିବ କହୁଥିଲା । ନବୀନଙ୍କ ବିଷୟରେ କିଛି କହିବା ଠିକ୍ ହେବନି । ନବୀନ ଅନ୍ୟମାନଙ୍କୁ ଆକଳନ କରିଥାଆନ୍ତି । ମୋର କିଛି କ୍ଷତି କରିନାହାନ୍ତି ନବୀନ । ନିଲମ୍ବନ ପଛରେ ଥାଇପାରେ ଷଡ଼୍ଯନ୍ତ୍ର । କାରଣ ଜାଣିବା ପାଇଁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ସେପଟେ ସମର୍ଥକଙ୍କ ସହ ଅରବିନ୍ଦଙ୍କ ଶୋଭାଯାତ୍ରା । କହିଲେ, କେବଳ ଅଭିଯୋଗ କଲେ ହେବନି, ପ୍ରମାଣ କରନ୍ତୁ । ଆଉ ଏକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଏବେ କିଛି ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ଅଭିଯାନ ଚଳାଇଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି । ତାହାକୁ ନଜରରେ ରଖି ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଜୟଙ୍କୁ ଚେକ୍ ଦେବାକୁ ଉଦ୍ୟମ କରାଯାଇଛି । ୨୬ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ବିଜୟଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ନବୀନ । ବିଜୟଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗ ଦେଇଥିଲେ ବି ବିଜୟ ବିଜେଡିକୁ ଫେରିନାହାନ୍ତି କି ନବୀନ ନିବାସ ଯାଇନାହାନ୍ତି । ବିଜେଡିର ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି ।