ବିଜେପିର ବରିଷ୍ଠ ନେତା ବିଜୟ କୁମାର ମଲହୋତ୍ରାଙ୍କର ପରଲୋକ

ନୂଆଦିଲ୍ଲୀ,୩୦/୦୯: ବିଜେପିର ବରିଷ୍ଠ ନେତା ବିଜୟ କୁମାର ମଲହୋତ୍ରାଙ୍କର ପରଲୋକ ଘଟିଛି । ସ୍ବାସ୍ଥ୍ୟ ଖରାପ ଯୋଗୁ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଆଜି ସକାଳ ପ୍ରାୟ ୬ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୪୫ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ମଲହୋତ୍ରା ୫ ଥର ସାଂସଦ ଏବଂ ୨ ଥର ବିଧାୟକ ରହିଥିଲେ । ଦିଲ୍ଲୀରେ ବିଜେପିକୁ ପ୍ରତିଷ୍ଠା କରିବାରେ ବିଜୟ କୁମାର ମଲହୋତ୍ରାଙ୍କ ବଡ଼ ଭୂମିକା ରହିଥିବା କୁହାଯାଇଛି । ବିଜୟ କୁମାର ମଲହୋତ୍ରା ଜନସଂଘ ସମୟରୁ ଅଟଳ ବିହାରୀ ବାଜପେୟୀ ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ସହ କାମ କରିଥିଲେ । ବିଜୟ କୁମାର ମଲହୋତ୍ରାଙ୍କ ଜନ୍ମ ୩ ଡିସେମ୍ବର ୧୯୩୧ ରେ ଲାହୋରରେ ହୋଇଥିଲା । ସେହି ସମୟରେ ଲାହୋର ଭାରତର ପଞ୍ଜାବ ପ୍ରାନ୍ତର ଏକ ଅଂଶ ଥିଲା । ବିଜୟ କୁମାର ମଲହୋତ୍ରା ୧୯୭୨ ରୁ ୧୯୭୫ ପର୍ୟ୍ୟନ୍ତ ଦିଲ୍ଲୀ ପ୍ରଦେଶ ଜନସଂଘର ଅଧ୍ୟକ୍ଷ ରହିଥିଲେ । ୨୦୦୪ ନିର୍ବାଚନରେ ସେ ବିଜେପିର ଏକମାତ୍ର ନେତା ଥିଲେ ଯିଏ ଲୋକସଭା ନିର୍ବାଚନରେ ଜିତିଥିଲେ ।