ବିହାର ବିଧାନସଭା ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଜାରି କରିଛି ଏନଡିଏ

ନୂଆଦିଲ୍ଲୀ,୩୧/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଜାରି କରିଛି ଏନଡିଏ । ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ଇସ୍ତାହାରରେ ବିହାରରେ ୧ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛି ଏନଡିଏ । ଏହାସହ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ଏନଡିଏ । ଏନଡିଏର ଏହି ନିର୍ବାଚନୀ ଇସ୍ତାହାରରେ ଖାସ୍ କରି ମହିଳା, ଯୁବକ, ପଛୁଆ ବର୍ଗ, ଚାଷୀ ଏବଂ ବ୍ୟବସାୟୀଙ୍କୁ ଧ୍ୟାନ ରଖାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜୀତନ ରାମ ମାଞ୍ଝୀ, ଚିରାଗ ପାସଓ୍ୱାନ, ଉପେନ୍ଦ୍ର କୁଶବାହାଙ୍କ ଭଳି ନେତା ମିଶି ଏହି ଏନଡିଏର ସଙ୍କଳ୍ପ ପତ୍ର ଜାରି କରିଛନ୍ତି । ଏହାସହିତ ଏନଡିଏ ଇସ୍ତାହାରରେ “କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି” ନାମକ ଏକ ଯୋଜନା ଆରମ୍ଭ କରିବାର ପ୍ରତିଶ୍ରୁତି ଦିଆଯାଇଛି, ଯାହା ଅଧୀନରେ କେନ୍ଦ୍ର ସରକାର ୬,୦୦୦ ଟଙ୍କା ଯୋଗାଇବେ। ଭାରତ ସରକାର ଏଥିପାଇଁ ପାଣ୍ଠି ଯୋଗାଇବେ। କିଷାନ ନିଧି ପାଇଁ କେନ୍ଦ୍ର ସରକାର ମଧ୍ୟ ୩,୦୦୦ ଟଙ୍କା ଯୋଗାଇବେ ।