ନୂଆଦିଲ୍ଲୀ,୦୯/୧୦: ବିହାରରେ ମତଦାନ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା । ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଲେ ଲାଲୁ ନନ୍ଦନ ତେଜସ୍ୱୀ ଯାଦବ । ତେବେ ବିହାରରେ ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ପଡ଼ିବାକ ଯାଉଛି, ଆଉ ଏହା ପୂର୍ବରୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ତେଜସ୍ୱୀ ଏପରି ବଡ଼ ଘୋଷଣା କରିଥିବା କୁହାଯାଉଛି । ସରକାରୀ ଚାକିରି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ମହାମେଣ୍ଟର ସରକାର ଆସିଲେ ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ତେଜସ୍ୱୀ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ ଯାଦବ କହିଛନ୍ତି, ” ନିର୍ବାଚନ ପ୍ରଚାର ଆରମ୍ଭ ହୋଇସାରିଛି ଏବଂ ଆମେ ପୂର୍ବରୁ କହିଛୁ ଯେ ସରକାର ଆମ ଘୋଷଣାଗୁଡ଼ିକୁ ନକଲ କରୁଛନ୍ତି । ବିହାରରେ ବେକାରୀ ଏକ ପ୍ରମୁଖ ସମସ୍ୟା ଆଉ ଆମେ ୧୭ ମାସର ସରକାରରେ ଲୋକଙ୍କୁ ଚାକିରି ଦେଇଥିଲୁ । ହେଲେ ଆଜି ସେମାନେ ବେକାରୀ ଭତ୍ତା ବିଷୟରେ କଥା ହେଉଛନ୍ତି । ତେବେ ବିହାରର ପ୍ରତ୍ୟେକ ପରିବାର ଯାହାଙ୍କ ପାଖରେ ସରକାରୀ ଚାକିରି ନାହିଁ, ସେମାନଙ୍କୁ ଏକ ସରକାରୀ ଚାକିରି ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ। ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଏହି ଆଇନ ପ୍ରଣୟନ କରାଯିବ ଏବଂ ୨୦ ମାସ ଭିତରେ ବିହାରରେ ଏପରି କୌଣସି ପରିବାର ରହିବ ନାହିଁ ଯାହାଙ୍କ ପାଖରେ ସରକାରୀ ଚାକିରି ନଥିବ ।